ମହାବୀର ମଲା , ସୁନ୍ଦରୀ ଯିବ । ବାଘଶୂନ୍ୟ ହୋଇଯିବ କି ସାତକୋଶିଆ ! ବାଘୁଣୀ ଲାଞ୍ଜରେ ଫଙ୍ଗାଲ ଇନଫେକ୍ସନ ।

ଅନୁଗୋଳ(IYA NEWS:17/06/2020):
ମହାବୀର ମଲା, ସୁନ୍ଦରୀ ଯିବ, ତଥାପି ଚେତୁନି ବନବିଭାଗ । ବନ ବିଭାଗର ଅବହେଳା ଯୋଗୁଁ ମଧ୍ୟପ୍ରଦେଶରୁ ଆସିଥିବା ମହାବଳ ବାଘ ମହାବୀରର ମୃତ୍ୟୁ ଘଟିଥିଲା। ବାଘୁଣୀ ସୁନ୍ଦରୀ ରାଇଗୁଡ଼ାର ଏନ୍‌କ୍ଲୋଜର ମଧ୍ୟରେ ଏବେ ବନ୍ଦୀ। କେବେ ବି ମଧ୍ୟପ୍ରଦେଶକୁ ସେ ଫେରିଯିବ। ସୁନ୍ଦରୀ ପ୍ରତି ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଆଭିମୁଖ୍ୟ ଉପରେ କଡ଼ା ଆପତ୍ତି ଉଠାଇଥିଲେ ବନ୍ୟପ୍ରାଣୀ ବିଶେଷଜ୍ଞ ଓ ଖୋଦ୍ ଜାତୀୟ ବାଘ ସଂରକ୍ଷଣ କର୍ତୃପକ୍ଷ। ସାତକୋଶିଆ ଜଂଗଲ ମଧ୍ୟରେ ଥିବା ବୁଢ଼ୀ ବାଘୁଣୀ ଏବେ ଅସୁସ୍ଥ ଥିବା ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଲାଣି। ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା, ବାଘୁଣୀ ଅସୁସ୍ଥ ଥିବା ଜାଣିବା ପରେ ବି ବନ ବିଭାଗ ଯେତିକି ତତ୍ପରତା ଦେଖାଇବା କଥା, ତାହା ଦେଖାଇନାହାନ୍ତି। ବରଂ ପିସିସିଏଫ୍‌ଙ୍କୁ ଚିଠି ଲେଖି ଏକ ପ୍ରକାର ଚୁପ୍ ହୋଇ ବସିଯାଇଛି। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଇ ଦେଶର ପର୍ଯ୍ୟଟନ ମାନଚିତ୍ରରେ ପ୍ରମୁଖ ସ୍ଥାନ ହାସଲ କରିବା ଲକ୍ଷ୍ୟ ରଖାଯାଇଥିବା ବେଳେ ଏବେ ବନ ବିଭାଗର ଅବହେଳା ଯୋଗୁଁ ସାତକୋଶିଆ ବାଘଶୂନ୍ୟ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ବାଘ ସମେତ ଅନ୍ୟ ବନ୍ୟପ୍ରାଣୀମାନଙ୍କ ଗତିବିଧି ଲକ୍ଷ୍ୟ ରଖାଯିବା ନେଇ ସାତକୋଶିଆ ଜଂଗଲର ବିଭିନ୍ନ ସ୍ଥାନରେ ବନ ବିଭାଗ ପକ୍ଷରୁ ଟ୍ରାପ୍ କ୍ୟା‌ମେରା ଲଗାଯାଇଛି। ପ୍ରାୟ ୨୦ ଦିନ ତଳେ ରାଇଗୁଡ଼ା ଅଂଚଳରେ ବାଘୁଣୀ ବୁଲୁଥିବା ବେଳେ ଟ୍ରାପ୍ କ୍ୟାମେରା ଜରିଆରେ ଏହାର ଚିତ୍ର କଏଦ୍ କରାଯାଇଥିଲା। ଏହି ଚିତ୍ରରେ ବାଘୁଣୀର ଲାଞ୍ଜ ‘ଫଙ୍ଗାଲ ଇନ୍‌ଫେକ୍ସନ’ ହୋଇଥିବା ଜଣାପଡ଼ିଥିଲା। ବନ ବିଭାଗୀୟ ଅଧିକାରୀମାନଙ୍କୁ କ’ଣ କରାଯିବ, ସେନେଇ ବିଚାରବିମର୍ଶ କରିବାକୁ କିଛିଦିନ ଲାଗିଯାଇଥିଲା। ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରାଯିବ ନା ଯନ୍ତା ପକାଇ ଧରାଯିବ, ସେ ସଂକ୍ରାନ୍ତରେ ବନ ବିଭାଗ କୌଣସି ନିଷ୍ପତ୍ତି ନେଇ ପାରିନଥିଲା। ବୟସାଧିକ୍ୟ କାରଣରୁ ଟ୍ରାଙ୍କୁଲାଇଜ୍ କରାଗଲେ ବାଘୁଣୀର ଜୀବନ ପ୍ରତି ବି ବିପଦ ସୃଷ୍ଟି ହେବାନେଇ ଆଶଙ୍କା କରାଯାଇଥିଲା। ପରିଶେଷରେ ପ୍ରାୟ ଏକ ସପ୍ତାହ ତଳେ ପିସିସିଏଫଙ୍କୁ ଚିଠି ଲେଖାଯାଇ ଆବଶ୍ୟକ ପରାମର୍ଶ ଦେବାକୁ କୁହାଯାଇଛି। ଏପଟେ ବାଘୁଣୀର ଅବସ୍ଥା ଦିନକୁ ଦିନକୁ ଖରାପ ଆଡ଼କୁ ଗତି କରୁଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଶେଷଥର ପାଇଁ ବାଘୁଣୀ ଗତ ୯ ତାରିଖ ଦିନ ସେହି ରାଇଗୁଡ଼ା ଅଂଚଳରେ ବୁଲୁଥିବା ଦୃଷ୍ଟିଗୋଚର ହୋଇଥିଲା। ଏହା ପରଠାରୁ କ୍ୟାମେରାର ବାଘୁଣୀର ଚିତ୍ର ଆସିନାହିଁ। ଏଭଳି ସ୍ଥିତିରେ ନାନା ଆଶଙ୍କା ସୃଷ୍ଟି ହେଉଛି। ବାଘୁଣୀକୁ ଚିକିତ୍ସା ପାଇଁ ଉଦ୍ୟମ ଆରମ୍ଭ ହୋଇନାହିଁ। ବାଘୁଣୀର ଚିକିତ୍ସା କରାଯିବାରେ ଯେତିକି ବିଳମ୍ବ ହେବ, ସେତିକି ଜୀବନ ପ୍ରତି ବିପଦ ହେବା ସ୍ବାଭାବିକ। ଏ ସଂକ୍ରାନ୍ତରେ ଅନୁଗୋଳ ଆର୍‌ସିସିଏଫ୍ ପ୍ରଦୀପରାଜ କରାଟ କହିଛନ୍ତି ବାଘୁଣୀର ସ୍ବାସ୍ଥ୍ୟ ଭଲ ଅଛି। ଲାଞ୍ଜରେ ‘ଫଙ୍ଗାଲ ଇନ୍‌ଫେକ୍ସନ’ ହୋଇଛି। ତେବେ ବାଘୁଣୀର ଜୀବନ ପ୍ରତି ବିପଦ ନାହିଁ। ତଥାପି କେମିତି ଚିକିତ୍ସା କରାଯାଇପାରିବ, ସେ ସଂକ୍ରାନ୍ତରେ ପିସିସିଏଫ୍‌ଙ୍କୁ ଏକ ଚିଠି ଲେଖାଯାଇଛି ବୋଲି ସେ କହିଛନ୍ତି।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।