ଭାରତୀୟ ବାୟୁସେନାର ନିଯୁକ୍ତି ରାଲି ନିମନ୍ତେ ପ୍ରସ୍ତୁତି ବୈଠକ । ସେପ୍ଟେମ୍ବର ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ଅନଲାଇନ ପଞ୍ଜିକରଣ ।

ଅନୁଗୋଳ(IYA NEWS:02/09/2020):
ରାଜ୍ୟର ୩୦ଟି ଜିଲ୍ଲାର ପିଲାମାନଙ୍କୁ ନେଇ ଚଳିତ ମାସ ୨୩ ତାରିଖରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଅନୁଗୋଳର ପିଟିସି ପଡିଆରେ ଭାରତୀୟ ବାୟୁସେନାର ନିଯୁକ୍ତି ରାଲି ନିମନ୍ତେ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନୁଗୋଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଅଧ୍ୟକ୍ଷତା କରି ବିଭାଗୀୟ ଅଧିକାରୀ ମାନେ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇଦେଇ ଏହି ରାଲିକୁ ସଫଳ କରିବାକୁ ପରାମର୍ଶ ଦେଇଛନ୍ତି । ସମ୍ପ୍ରତି ରାଜ୍ୟର କରୋନା ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ନିୟମାବଳୀ ଆଧାରରେ ଏହି ରାଲିକୁ ଆୟୋଜନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି । ଏହି ନିଯୁକ୍ତ ରାଲି ପାଇଁ ଚଳିତ ମାସ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହୋଇ ୨୩ ତାରିଖରୁ ଅକ୍ଟୋବର ୪ ତାରିଖ ମଧ୍ୟରେ ୩ଟି ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବ । ସୋଲଜର ଟେକ୍‌ନିକାଲ ପାଇଁ ଯୁକ୍ତ ୨ ବିଜ୍ଞାନ ପାସ୍ ଯୋଗ୍ୟତା ଥିବା ବେଳେ ସୋଲଜର୍ ନନ୍ ଟେକ୍ନିକାଲ ପାଇଁ ଅନ୍ୟ ବିଷୟରେ ଯୁକ୍ତ ୨ ପାସ୍ କରିଥିବା ଆବଶ୍ୟକ । ପିଲାମାନେ ଅନଲାଇନ୍‌ରେ ପଞ୍ଜିକରଣ କରିବା ପରେ ପାଇଥିବା ଆଡମିଟ କାର୍ଡ ଦେଖାଇଲେ ପ୍ରଥମେ ସେମାନଙ୍କର ଥର୍ମାଲ ସ୍କାନିଂ କରାଯିବ। ସନ୍ଦେହ ହେଲେ ସଂପୃକ୍ତ ପିଲାକୁ ପରୀକ୍ଷାରେ ଅଂଶ ଗ୍ରହଣ ନିମନ୍ତେ ଅନୁମତି ଦିଆଯିବ ନାହିଁ । ପିଲାମାନେ ୨୩ ତାରିଖ ଠାରୁ ସକାଳ ୫ଟା ୩୦ ମିନିଟରୁ ପିଟିସି ଫାଟକ ଠାରେ ଶାରୀରିକ ପରୀକ୍ଷା ନିମନ୍ତେ ସାମାଜିକ ଦୂରତା ମଧ୍ୟରେ ଠିଆହୋଇ ସେମାନଙ୍କର ଥର୍ମାଲ ସ୍କାନିଂ କରାଇ ଭିତରକୁ ପ୍ରବେଶ କରିବେ । କୋଭିଡ ନିୟମାବଳୀର ସମସ୍ତ ନିୟମକୁ ମାନି ପ୍ରତ୍ୟହ ୧୦୦ ରୁ ୧୨୫ ଜଣ ପିଲା ଏହି ନିଯୁକ୍ତି ରାଲିରେ ଅଂଶ ଗ୍ରହଣ କରିବେ । ଓଡିଶାର ୩୦ଟି ଜିଲ୍ଲାର ପିଲାମାନେ ୩ଟି ପର୍ଯ୍ୟାୟରେ ଏହି ରାଲିରେ ଅଂଶ ଗ୍ରହଣ କରିବେ । ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର ୨୩.୨୪,୨୫,୨୬, ଦ୍ବିତୀୟ ପର୍ଯ୍ୟାୟରେ ୨୮.୨୯.୩୦ ଓ ଅକ୍ଟୋବର ୧ ଏବଂ ତୃତୀୟ ପର୍ଯ୍ୟାୟରେ ଅକ୍ଟୋବର ୮,୯, ଓ ୧୦ ତାରିଖରେ ଏହି ରାଲି ଅନୁଷ୍ଠିତ ହେବ । ସମସ୍ତ ପିଲାମାନଙ୍କର ରହିବା ପାଇଁ ପିଟିସି ଉଚ୍ଚ ବିଦ୍ୟାଳୟ ଓ ପରୀକ୍ଷା ନିମନ୍ତେ ପିଟିସିକୁ ସ୍ଥିର କରାଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ରାଲିର ସଫଳ ଆୟୋଜନ ନିମନ୍ତେ ପରିମଳ ଓ ସଫାସୁତରା ସହ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ବର ସ୍ଥିତ ୯ ଏୟାର ସିଲେକ୍ସନ ସେଣ୍ଟର ୱିଙ୍ଗ କମାଣ୍ଡର ଆର. ଏସ୍ .ରାୱତ୍ ଏହି ପ୍ରସ୍ତୁତି ବୈଠକରେ ଯୋଗଦେଇ ରାଲି ଆୟୋଜନ ନିମନ୍ତେ ଆବଶ୍ୟକ ପଡ଼ୁଥିବା ଭିତ୍ତଭୂମି ଓ ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । ରାଲିକୁ ଆସୁଥୁବା ପିଲାମାନଙ୍କ ସୁବିଧା ମତେ ବସ୍‌ଷ୍ଟାଣ୍ଡର ସୁଲଭ ଶୌଚାଳୟକୁ ପ୍ରସ୍ତୁତ ରଖିବା ସହ ଡାକ୍ତର ଓ ଆମ୍ବୁଲାନ୍ସ ନିୟୋଜିତ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଲିର ସୁପରିଚାଳନା ପାଇଁ ଏୟାର ସିଲେକ୍ସନ ସେଣ୍ଟରର ୪୫ ଜଣ କର୍ମକର୍ତ୍ତା ଯୋଗ ଦେବେ । ପିଲା ଓ କର୍ମକର୍ତ୍ତା ରହୁଥୁବା କୋଠରୀ ଓ ପରୀକ୍ଷାକେନ୍ଦ୍ରକୁ ବିଶୋଧନ କରିବା ସହ ସମସ୍ତେ ହାଣ୍ଡ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀ,ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବାସୁଦେବ ଶତପଥୀ ଓ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ମାନସ ରଂଜନ ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।